କାଳିଆ ଘୋଡ଼ାରେ ଚଢ଼ିବି
ପୁଷ୍ପମିତ୍ର ମହାପାତ୍ର : ହଜାର ବର୍ଷର ପରିଚୟ, କିମ୍ବଦନ୍ତୀଙ୍କୁ ନେଇ କଟକ ସହରର ପରିଚୟ । ସ୍ୱାଭିମାନୀ ଉକ୍ରଳ ଗୌରବ ମଧୁବାବୁଙ୍କ ବିନା କଟକର ପରିଚୟ ଅପୂର୍ଣ୍ଣ । ଓଡ଼ିଆ ଜାତି ଓ ଆମ ବୀରଭୂମି କଳିଙ୍ଗର ସମ୍ମାନ, ସ୍ୱାଭିମାନକୁ ବଜାୟ ରଖିବା ପାଇଁ ଉକ୍ରଳର କର୍ଣ୍ଣଧାର ଜନନାୟକ ମଧୁସୂଦନଙ୍କ ତ୍ୟାଗ, ଉତ୍ସର୍ଗୀକୃତ ସାଧନା ଓ ବଳୀଦାନର ପଟ୍ଟାନ୍ତର ନାହିଁ । ଏହି ଜାତିର ସମ୍ମାନକୁ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱ ଦରବାରରେ ଶ୍ରେଷ୍ଠତ୍ୱରେ ପହଞ୍ଚାଇବା ପାଇଁ ଏହି ଜନନାୟକଙ୍କ ବଳିଦାନର ମୂଲ୍ୟ ଏହି ରାଜ୍ୟ କେବେ ବି ପୂରଣ କରିବାକୁ ସମର୍ଥ ହେବନାହିଁ । "କାଳିଆ ଘୋଡ଼ାରେ ଚଢ଼ିବି ମଧୁ ବାରିଷ୍ଟର ସାଙ୍ଗେ ଲଢ଼ିବି' ଓଡ଼ିଆ ଜନ ଜୀବନରେ ଏହି ଲୋକପ୍ରିୟ ଧାଡ଼ିଟି ଉକ୍ରଳ ଗୌରବ ମଧୁସୂଦନଙ୍କ କାଳଜୟୀ କୀର୍ତ୍ତିକୁ ଏହି ଜାତିର ପ୍ରତିଟି ଓଡ଼ିଆଙ୍କ ପାଇଁ ପ୍ରେରଣାର ବାର୍ତ୍ତା ବହନ କରେ । କେବଳ ରାଜନୈତିକ ଚେତନା ନୁହେଁ ଉକ୍ରଳୀୟ ଜାତୀୟତାର ପୁରୋଧା ଉକ୍ରଳ ଗୌରବ ମଧୁସୂଦନ ଥିଲେ ଯଥାର୍ଥରେ ସମଗ୍ର ଭାରତରେ ଜଣେ ବିଶିଷ୍ଟ ଜନନାୟକ । ନିଜ ତମାମ ଜୀବନକୁ ଓଡ଼ିଆ ଜାତିର ସ୍ୱାର୍ଥ ଓ ବୃହତ୍ତର ଓଡ଼ିଶା ଗଠନ ପାଇଁ ସେ ଉତ୍ସର୍ଗ କରିଥିଲେ । ମଧୁ ବାବୁଙ୍କ ଜାତୀୟତାର ପ୍ରେରଣା ଚିରକାଳ ପାଇଁ ଓଡ଼ିଆ ଜାତି ପାଇଁ କ୍ଲାନ୍ତିର ବହ୍ନି ସଦୃଶ ପିଢ଼ି ପିଢ଼ିକୁ ଦିଗ୍ଦର୍ଶନ ଦେଇ ଆସୁଛି । ଜଣେ କର୍ମଯୋଗୀ ଭାବେ ମଧୁସୂଦନଙ୍କ ଜୀବନ ଓ ତାଙ୍କ ଦିବ୍ୟଦୃଷ୍ଟି ସମଗ୍ର ଓଡ଼ିଶାର ସ୍ୱତନ୍ତ୍ରତା ପ୍ରତିଷ୍ଠା ପାଇଁ କ୍ରାନ୍ତୀର ମଶାଲ ପରି ଯେଉଁ ପ୍ରେରଣାର ବହ୍ନି ପ୍ରଜ୍ଜ୍ୱଳିତ କରିଯାଇଛନ୍ତି ତାହାକୁ ଏ ଜାତି କେବେ ବି ଭୁଲି ପାରିବ ନାହିଁ । କୂଳବୃଦ୍ଧ ମଧୁସୂଦନଙ୍କ ଜାତୀୟତା ଓ ତ୍ୟାଗ ବିଷୟରେ ଜାତିର ଜନକ ସମସ୍ତଙ୍କର ପ୍ରିୟ ବାପୁଜୀ ମହାତ୍ମା ଗାନ୍ଧୀ ଉଲ୍ଲେଖ କରିଛନ୍ତି - "ଜଣେ ଦେଶଭକ୍ତ ଭାବେ ମଧୁସୂଦନ ସମସ୍ତଙ୍କ ପାଇଁ ଚିରକାଳ ସ୍ମରଣୀୟ । ସେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ବି ହିନ୍ଦୁ ଧର୍ମ ପ୍ରତି ତାଙ୍କର ବିଶ୍ୱାସ ଅନୁରାଗ ରହିଥିଲା । ସେ ନିଜ ଜୀବନକୁ ନିଃଶେଷ କରିଦେଇ ଦେଶବାସୀଙ୍କୁ ଜାତୀୟତାର ସନେ୍ଦଶ ଅନୁପ୍ରାଣିତ କରିଯାଇଛନ୍ତି' । ସେହିପରି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାରଥୀ ମହର୍ଷି ଶ୍ରୀ ଅରବିନ୍ଦ ମଧୁବାବୁଙ୍କ ଉଦେ୍ଦଶ୍ୟରେ ଲେଖିଥିଲେ - “ଓଡ଼ିଶାରେ ବର୍ତ୍ତମାନ ଏକ ନବଚେତନା ଓ ନବଜାଗରଣର ସୂତ୍ରପାତ ହୋଇଛି । ଓଡ଼ିଶା ତା’ର ଅସ୍ତିତ୍ୱ ରକ୍ଷା ଲାଗି ଏକ ସୁଦକ୍ଷ ଶକ୍ତିଶାଳୀ ନେତାଙ୍କ ଅଧିନାୟକତ୍ୱରେ ଲାଗି ପଡ଼ିଛି ।”
ବାଲ୍ୟକାଳୁ ମଧୁବାବୁ ଦାରିଦ୍ର୍ୟ ଓ ପ୍ରତିକୂଳ ପରିସ୍ଥିତି ସହ ସଂଗ୍ରାମ କରି ପରବର୍ତ୍ତୀ ସମୟରେ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରି ଅନେକ କଷ୍ଟ ସ୍ୱୀକାର ଭିତରେ ଓକିଲାତି ପାସ କରିଥିଲେ । କେବଳ ସେତିକି ନୁହେଁ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିଜ ତମାମ ଜୀବନର ଶ୍ରମ, ସମୟ, ପ୍ରତିପତି ଓ ଅର୍ଥକୁ ସେ ନିଃଶେଷ କରି ଦେଇଥିଲେ । ସଦାସର୍ବଦା ନିଜ ଜନ୍ମଭୂମି ଓଡ଼ିଶା ମାଟିର ସ୍ୱାଭିମାନକୁ ରକ୍ଷା ପାଇଁ ସେ କେବେ ବି କୌଣସି ପରିସ୍ଥିତି ସହ ସାଲିସ୍ କରିନାହାଁନ୍ତି । ତମାମ ଜୀବନରେ ନିଜର ସମସ୍ତ ଅର୍ଥକୁ ବୃହତ୍ତର ଓଡ଼ିଶା ଗଠନ ପାଇଁ ଓ ଯେ କୌଣସି କ୍ଷେତ୍ରରେ ଭାଙ୍ଗି ପଡ଼ୁଥିବା ବା ଦୁଃଖ ଓ ଅଭାବ ସହିତ ସଂଗ୍ରାମ କରୁଥିବା ଓଡ଼ିଆଙ୍କ ପାଇଁ ସେ କ୍ରାନ୍ତୀର ଦେବଦୂତ ପରି ନିଜର ସମସ୍ତ ଅର୍ଥ ଖର୍ଚ୍ଚ କରି ଜୀବନର ଶେଷ ସମୟରେ ସେ କପର୍ଦ୍ଦକଶୂନ୍ୟ ହୋଇଯାଇଥିଲେ । ଏଇ ସେଇ ଓଡ଼ିଆ ଜାତି ସର୍ବସ୍ୱ ଦେଶପ୍ରାଣ ମଧୁସୂଦନ ଦାସ । ଏ ଦେଶ, ଏ ଜାତି ପାଇଁ ତାଙ୍କ ଦାନର ପଟାନ୍ତର ନାହିଁ । କର୍ମର କଳନା ନାହିଁ । ତାଙ୍କର ଯଶୋଗାନ ଓ ବୈଶିଷ୍ଟ୍ୟ ବିଚାର ପାଇଁ ଭାଷା ନାହିଁ । ଜାତି ପାଇଁ ସର୍ବସ୍ୱ ଦାନ କରି ସେ ନିଃସ୍ୱ, ନିଃଶେଷ ହୋଇଯାଇଛନ୍ତି । କିନ୍ତୁ ତାଙ୍କର ତ୍ୟାଗ, ତପସ୍ୟା ନିଷ୍ଫଳ ହୋଇଯାଇନାହିଁ । ତାଙ୍କର ଜୀବନାଦର୍ଶ ଯୁଗ ଯୁଗ ଧରି ଆମ ଯାତ୍ରାପଥର ପାଥେୟ ହୋଇ ରହିଥିବ । ମଧୁବାବୁ ଏହି ସମାଜ ପାଇଁ ଆମ ବୃହତ୍ତର ଓଡ଼ିଶା ପାଇଁ ଥିଲେ ସ୍ୱୟଂ ଦେବଦୂତ । ଯେଉଁ ସମୟରେ ଓଡ଼ିଆ ଜାତି ଓ ଓଡ଼ିଶା ରାଜ୍ୟ ବିଖଣ୍ଡିତ ହେବାର ସ୍ଥିତିରେ ପହଞ୍ଚôଥିଲା ସେହି ସମୟରେ ସ୍ୱାଭିମାନର ପ୍ରତୀକ ମଧୁବାବୁ ସମସ୍ତଙ୍କ ଭିତରେ ଜାଗରଣ ଓ ପ୍ରେରଣା ସୃଷ୍ଟି କରିବାରେ ସମର୍ଥ ହୋଇଥିଲେ । ଓଡ଼ିଶାର ରାଜନୈତିକ, ସାମାଜିକ, ସାଂସ୍କୃତିକ, ସାରସ୍ୱତ କ୍ଷେତ୍ରକୁ ଦେଖିଲେ ଆଜି ସବୁଠି ସମସ୍ତଙ୍କର ପ୍ରିୟ ସ୍ୱାଧୀନଚେତା ନିର୍ଭୀକ ସ୍ୱାଭିମାନର ସତ୍ୟନିଷ୍ଠ ପୂଜାରୀ ମଧୁବାବୁଙ୍କ ବ୍ୟକ୍ତିତ୍ୱ ସ୍ମରଣକୁ ଆସୁଛି । ଯେତେଦିନ ପର୍ଯ୍ୟନ୍ତ ଏହି ଓଡ଼ିଆ ଜାତି ଯୁଗ ଯୁଗ ପାଇଁ ରହିଥିବ ସେତିକି ଦିନ ପର୍ଯ୍ୟନ୍ତ ମଧୁବାବୁ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ମଉଡ଼ମଣି ଭାବରେ ବିରାଜିତ ହୋଇ ରହିଥିବେ । ନିଜ ରାଜ୍ୟର ସ୍ୱାଭିମାନ ପାଇଁ ନିଜ ମାତୃଭୂମିର ଅଖଣ୍ଡତା ପାଇଁ ଆଉ ନିଜ ବ୍ୟକ୍ତିତ୍ୱକୁ କୌଣସି ପରିସ୍ଥିତିରେ ସାଲିସ୍ ନକରି ଯେଉଁ ଶ୍ରେଷ୍ଠ ନାୟକ ଯେଉଁ ଓଡ଼ିଆ ପୁଅ ଏହି ମାଟିର ଟେକ ରଖିଛନ୍ତି ତାଙ୍କରି ଅବର୍ତ୍ତମାନରେ ତାଙ୍କରି ସ୍ମୃତିକୁ ପାଥେୟକରି ତାଙ୍କର ସ୍ୱପ୍ନର ସ୍ୱତନ୍ତ୍ର ଓଡ଼ିଶା ପାଇଁ ନିଜ ସ୍ୱାର୍ଥକୁ ପଛରେ ପକାଇ ଏହି ଜାତିର ସ୍ୱାଭିମାନ ଆଉ ସମ୍ମାନର ଟେକ ରଖି ପାରିଲେ ତାହା ହିଁ ହେବ ଏହି ଜାତିର କର୍ଣ୍ଣଧାରା ପଟ୍ଟପୁରୋଧା ଆଉ ସ୍ୱାଭିମାନର ପ୍ରତୀକ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।
ମୋ: ୯୪୩୭୨୨୫୬୮୯